Unknown

ସୃଷ୍ଟିର ଛନ୍ଦ

ଶ୍ରୀ ରାଜକିଶୋର ମହାନ୍ତି

 

 

ବିଶ୍ୱଛାତି ଦଗ୍‌ଧ ହୁଏ

ଏ ପାରିର ଶାଳବନ ତଳେ

ସେପାରିରେ ବିଜ୍ଞାନୀ ମାନବ

ଯାତ୍ରାରବେ ଚନ୍ଦ୍ର ମଙ୍ଗଳେ

 

ରାଜକିଶୋର

 

ନୀଳ ଆକାଶ ତଳେ

 

ନୀଳ ଆକାଶ ନୀଳ ଆକାଶ

ତଳେ ତାର ସବୁଜ ଧରଣୀ,

ମାନବର ଭାରାକ୍ରାନ୍ତ ମସ୍ତିସ୍କ,

ଏକ ପଥେ ଛୁଟିଚାଲେ-

ରେଡ଼ିଓ ର ଚ୍ଛନ୍ଦ ଆଗମନୀ

ଟେଲିଭିଜନର ସଚରାଚର ଦୃଷ୍ଟି,

ବୈଦୁତିକ ମାଳାରେ ହସିଉଠେ

ମହା ନଗରୀର ରାଜପଥ ।

 

ନୀଳ ଆକାଶ ନୀଳ ଆକାଶ

ତଳେ ତାର ସବୁଜ ଧରଣୀ,

ନୀଳ ଆକାଶ ଚାନ୍ଦୁଆର ତଳେ

ସର୍ଵହରାର କରୁଣ ବିଳାପ,

ହା ଅନ୍ନ ଚିତ୍କାର,

ରୋଗୀର ଆର୍ତ୍ତନାଦ,

ଲକ୍ଷ୍ୟ ମୂମୂର୍ଷର ବୁକୁ ଫଟା ବାଣୀ,

ମହା ଦେଶୀୟ ବୁଭୁକ୍ଷୁ ଜନତା ଏକ ପାର୍ଶ୍ୱେ

ଅନ୍ୟ ପାଖେ କ୍ଷେପଣାସ୍ତ୍ରର

ପ୍ରଳୟ ତାଣ୍ଡବ ।

 

ନୀଳ ଆକାଶ ନୀଳ ଆକାଶ

ତଳେ ତାର ସବୁଜ ଧରଣୀ ।

 

ସାଧବ ଝିଅର ନୀଳ ଅଞ୍ଚଳ

 

ନୀଳ ତରଙ୍ଗ,

ନୀଳ ତରଙ୍ଗ,

ମହୋଦଧିର ପ୍ରଶାନ୍ତ ବକ୍ଷ

ପ୍ରାଚୀ ଉଷାର

ଗୋଲାପି ଚେହେରା ।

 

ମନ୍ଦ ସମୀରଣର

ମନ ପୁଲାଣିଆ ହିଲ୍ଲୋଳ,

ସାଧବ ଝିଅର

ସ୍ୱପ୍ନ ସାର୍ଥକ କକ୍ଷ,

ବୋଇତର ସାଗର ପାରିଚ୍ଛନ୍ଦ ।

 

ମଞ୍ଜୁ ଚାନ୍ଦିନୀ

ସରସୀ ବକ୍ଷେ

ଲକ୍ଷ୍ୟ କଇଁର ଶୋଭା ।

ଉପବନ କକ୍ଷରେ

ନବୀନା ପୁଷ୍ପିତା ଲତାର--

ଚକମକ ଚାହାଣୀ ।

 

ସାଧବ ଝିଅର, ଶତ ଦଳ କାନ୍ତି ଚେହେରା,

ନୀଳ ଅଞ୍ଚଳର ଅସ୍ଥିରତା,

ଚଞ୍ଚଳ ଚାହାଣୀ,

କୁସୁମ ଧନୁର ମୋହନ ଟଙ୍କାର

ଏଇ ଯୁଗର ବ୍ୟର୍ଥତା ହାହାକାର ।

 

ସାଧବ ଝିଅର ନୀଳ ଅଞ୍ଚଳ,

ଅୟୁତ ପାରିଜାତର

କମନୀୟ କାନ୍ତି,

ମହୋଦଧିର ପ୍ରଶାନ୍ତ ବକ୍ଷେ

ଭସାଇ ଦିଏ ସେ

ସ୍ୱର୍ଣ୍ଣ ତରୀ

ଆଣେ ତା କ୍ରାନ୍ତି ।

 

ମାନବ ସଭ୍ୟତା

 

ଦେଖିଛକି ବନ୍ଧୁ କେବେ

ପ୍ରାବୃଟର ଘନ ଗରଜନେ

ଶ୍ଵାପଦ ସଂକୁଳ ବନାନୀର

ବିକଟ ଗହ୍ୱରେ

ଦାରୁଣ ଶୈତ୍ୟ ବ୍ୟାଧି ପ୍ରପୀଡ଼ିତ ନର ?

 

ଶୁଣିଛକି କେବେ ବଂଧୁ

ଅତୀର ସୀତାର ଝଂକାର

ଇତିହାସ ତାନ ପୁରା ଗୀତ

ଲକ୍ଷ ପ୍ରାଣ ବେଦନା କାହାଣୀ ?

 

ଜୀବନ ତଟିନୀ ପଥେ

ଦୁଃଖର ଅସୀମ ଝଟିକା

ମହା ନଗରୀର ପଥେ

ଯାନଗଣ ସହସ୍ର ହୁଙ୍କାର ?

 

ଯାନ୍ତ୍ରିକ ସଭ୍ୟତା ତଳେ

ଶୋଷକ ଶୋଷିତ

ସାରଲ୍ୟ ଚାପଲ୍ୟ ଠାରୁ ରହେ ବହୁ ଦୂରେ ---

ଦେଖିଛ କି ସତେ ଅବା ପର୍ବତ ଗହ୍ୱରେ

ବସ୍ତ୍ର ହରା ଦାର୍ଶନିକ ନର ?

 

ଦେଖିଛକି ବନ୍ଧୁ କେବେ

କୁରୁ ସଭାତଳେ

ଦ୍ରୌପଦୀ ଲକ୍ଷ ଲୁଗା ଚୋରି,

ହନୁମାନ ସାଗର ଲଙ୍ଘନ

ଅତୀତର ଜୀବନ୍ୟାସ ଶର

ରାବଣର ପୁଷ୍ପକ ବିମାନ ?

 

ପ୍ରାବୃଟର ଘନ ଗରଜନେ

ବସନ୍ତର ମଳୟ କୁହୁକେ

ଶରତର ଚୁର୍ଣ୍ଣ କୁନ୍ତଳେ

ବୁଭୁକ୍ଷୁର କରୁଣା ବିଳାପ

ଦରିଦ୍ରର ବୁକୁ ଫଟା ବାଣୀ ?

 

ଶୁଣିଛକି କେବେ ?

ମରୁ --- କନ୍ୟା ସଂଗୀତ ପାଟବ

ଭାରତ ସମରେ କୃଷ୍ଣ ଭଗବତ ଗୀତା

ଯୁଗାନ୍ତର ରକେଟର ଯୁଗେ ।

 

ମାନବ ସଭ୍ୟତାତନୁ,

ଜଳିଯାଏ

ଶତାବ୍ଦୀର ଚକ୍ର ବ୍ୟୁହେ

ଯାନ୍ତ୍ରିକ ସଭ୍ୟତା ତଳେ

ଶୋଷକ ଶୋଷିତ

ସାରଲ୍ୟ ଚାପଲ୍ୟ ଠାରୁ

ରହେ ବହୁ ଦୂରେ ।

 

ଜୀବନର ଗତିପଥ ଏ ପାରି ସେପରି

 

ଜୀବନର ଗତିପଥ ଏପାରି ସେପାରି -

ଜୀବନର ଧ୍ୱନି ବାଜେ

ପ୍ରକୃତିର ସବୁଜ କ୍ଷେତରେ,

ସାଗର ଦୋଳାରେ,

 

ହଳଦିଆ ମରୁଭୂମି ବକ୍ଷେ,

ପାହାଡ଼ିଆ ଶୂନ୍ୟ ଗୁମ୍ଫା କୋଳେ,

ତଟିନୀର ନେଳିଆ ଛାତିରେ,

ଧରଣୀର ଟାଙ୍ଗର ଭୂଇଁରେ,

ଜୀବନର ଗତିପଥ ଏପାରି ସେପାରି ---

 

ପରାଣର ନୂତନ ମୂର୍ଚ୍ଛନା,

ଚାନ୍ଦିନୀର ଶରତ ଜୁଆରେ,

ହେମନ୍ତର ନିଶିଥ କକ୍ଷରେ,

ବସନ୍ତର ସଂଗୀତ ଲହରେ,

ଦିଗ୍‌ବଳୟ ଲୋହିତ ଧାରରେ

ଉପବନ ମଳୟ ପଥରେ I

 

ଜୀବନର ଗତିପଥ ଏପାରି ସେପାରି ---

ଯୁମୁନାର ଶୁଭ୍ର ଲପନେ,

ସରସୀର ହରିତ ଶୋଭନେ,

ଏସକି ମୋର ଇଗଲୁ ଭିତରେ,

କIଞ୍ଜିବାର ଲବଙ୍ଗ ସହରେ,

ସ୍ରଷ୍ଟାର ମଙ୍ଗଳ ପଥରେ I

 

 

ଏଇ ଘନ ଜଙ୍ଗଲର କୋଳେ

 

ସୃଷ୍ଟିର ଆଦିମ ମାନବ

ନଗ୍ନତା ଭଜି

ବଣ ପାହାଡ଼ର ତଳେ

ସ୍ରଷ୍ଟା ଇଙ୍ଗିତେ ଚଳେ -

ଆଗାମୀ ଯୁଗର ଦ୍ରଷ୍ଟା ସେ,

ଉଷାର ଆଲୋକେ

ଗୋଧୂଳୀର କମନୀୟ ଆବରଣେ

ଶିକାରୀ ପୋଷାକ ତଳେ

ଶରୀର ଲୁଚାଇ - ସଂଗ୍ରହ କରେ

ଜଙ୍ଗଲର ଫଳ ଚେର ମୂଳ ।

ଆଲୋକ ପଥର ଯାତ୍ରୀ

ସୃଷ୍ଟିର ଆଦିମ କାଳେ

ବିଜ୍ଞାନୀ ମାନବ

 

ସାଗରର ଫେନିଳ ତରଙ୍ଗ

ପାହାଡର ରୁଦ୍ର ମୂର୍ତ୍ତି

ଘଡ଼ ଘଡ଼ିର ଭୟାନକ ବାଣୀ

ଚପଳାର ଚମକ ଇଙ୍ଗିତ

ବରଫ ସ୍ରୋତର ପ୍ରଳୟ

ସବୁ ସହିଛି ସେ –

 

ଏଇ ଘନ ଜଙ୍ଗଲର କୋଳେ ---

ଚିନ୍ତା ଧାରାର ବିକାଶ

ଏଇ ଘନ ଜଙ୍ଗଲର ଛାତି ଭିତରେ ।

 

ମାନବ ସଭ୍ୟତାର ମହନୀୟ ଦାନ,

ବିଶ୍ୱର ଅସ୍ତିତ୍ୱ,

ଭଗବାନର ସୃଷ୍ଟି,

ପ୍ରକୃତିର ଯାଦୁ,

ରଜନୀର ନିସ୍ତଵଧତା,

ସୂର୍ଯ୍ୟର କନକ କିରଣ,

ଝରଣାର ଲୀଳାୟିତ ଗତି,

 

ବିହଙ୍ଗ କାକଳୀ,

ହିଂସ୍ର ଜନ୍ତୁର ବିକଟ ନିନାଦ,

ସବୁ ଉପଭୋଗ କରିଛି

ଆଦିମ ମାନବ

ଏଇ ଘନ ଜଙ୍ଗଲର କୋଳେ ।

 

ଐଶୀ ପ୍ରେରଣାରେ ବିମୋହିତ

ମୁଗ୍‌ଧ ମାନବ,

କଳ୍ପନାର ରଥେ ବସେ

ସେ ଅସାର ଜଳ୍ପନା କରେନା –

 

ପ୍ରାଣବନ୍ତ ହୁଏ ସବୁଜ ପ୍ରକୃତି

ସେ ଦେଖେ ଝର ଝର ବରଷାର ଛବି

ଶୀତ କାକର କୁହୁଡି ତାର ବନ୍ଧୁ

ହରିଣ, ହଳଦୀ ବସନ୍ତ, ଶୁଆ ଶାରୀ

ଗୋରୁ, ମେଣ୍ଢା, ଛେଳି ତାର ସମ୍ପତ୍ତି ।

 

ସେ ଭ୍ରମଣ କରେ--

ମରୁ ପଥର ହୁଏ ପଥିକ,

ମହାଦେଶୀୟ ତୃଣ ପ୍ରାନ୍ତର,

ତାର ହୁଏ ଚରାଭୂମି ।

 

ତାହାର ଆଦିମ ନିବାସ ସେଇ ପାହାଡ଼

ସେ ଭୁଲି ଯାଏ ନା ---

ଏଇ ପାହାଡ଼ର ତଳେ

ଏଇ ଘନ ଜଙ୍ଗଲର କୋଳେ

ବିଶ୍ୱ ସୃଷ୍ଟିର କାଉନସିଲ ବସେ ।

 

ବିଜ୍ଞାନର ସୁଅ

ଉଲ୍ଲୋଳ କଲ୍ଲୋଳ ମାଳା ପରି

ଲମ୍ଫ ପ୍ରଦାନ କରେ

ଗଗନର ସୀମାହୀନ ରାଜ୍ୟେ ।

ସେଇ ପାହାଡ଼ର ତଳେ ---

 

ଏଇ ଘନ ଜଙ୍ଗଲର କୋଳେ ---

ନଗ୍ନ ସୃଷ୍ଟିର ଛବି,

ସଭ୍ୟତା କୁସୁମ ଫିଟାଇ ଦିଏ

ଏଇ ଘନ ଜଙ୍ଗଲର କୋଳେ

ଋକ୍ଷ ନୀରସ ମୃତ୍ତିକା ଚିରି

ନୀଳ ଅଞ୍ଚଳ ଉଡ଼ାଇ

ଝରଣା ରାଣୀ ଗତିକରେ ।

 

ପ୍ରକୃତିର କୁହୁକ ମୂର୍ଚ୍ଛନା,

ସବୁଜିମା ର ଅପୂର୍ବ ଦ୍ୟୋତନା,

ନଦୀ ନାୟିକାର ଚାରୁ ଅପାଙ୍ଗ,

ମନ୍ଦ ସମୀରଣର କୁସୁମ ଧ୍ୱଜା,

ପାଇନ ଜଙ୍ଗଲର ହରିତ ଚେହେରା,

ସବୁ ସେଇ ଆଦିମ ମାନବର

ନୟନ ପଥେ ରୂପ ସଜେଇ ବସେ ।

 

ଚୋରା ବସନ୍ତର ଯାଦୁବିଦ୍ୟା,

ପାହାଡ଼ ତଳର ଛୋଟ କୁଟୀର,

ଶବର ବାଳାର ଲୀଳାୟିତ ଗତି

ନୂତନ ଛନ୍ଦର ଅଗାମନୀ,

ପ୍ରକୃତି ରାଣୀର ଜୟଶଙ୍ଖ,

ସାମ୍ୟ ମୈତ୍ରୀର ଚିରନ୍ତନ ଧ୍ୱଜା,

ସବୁ ସେଇ ପାହାଡ଼ର ତଳେ ---

ଏଇ ଘନ ଜଙ୍ଗଲର କୋଳେ ।

 

ସେ ସବୁଜ ଛବି

 

ନୀଳକାନ୍ତ ମଣି ସମବପୁ

ସେ କି ଅବା କୃଷ୍ଣ ଅବତାର

ଦରିଦ୍ରର ଚିରସଖା,

ପାଏ ନାହିଁ ଭଲ

ଶୁଣିବାକୁ ହା ଅନ୍ନ ଚିତ୍କାର ।

 

ଭିକାରୁଣୀ ତା ଦୁଆରେ

ନିତି ଉପଗତ

ପ୍ରାଣେ ଲକ୍ଷ ବେଦନା ଝଙ୍କାର

ଧନିକର ନଭଶ୍ଚୁମ୍ବୀ ପ୍ରାସାଦ ଗମ୍ବୁଜ

ତାର ଠାରୁ ଦୂର --ବହୁଦୂର ।

 

ଜୀବନେ ତାହାର ଶକ୍ତି --

ଗନ୍ତାଘର ଦ୍ୱାରେ

ଶଂକିତା ଭିକାରୁଣୀ ଆଶ୍ରୟ ପଥରେ ।

 

ଦରିଦ୍ର ମୂଲିଆ ରାମ

ତାହାରି ଦର୍ଶନେ

ଶୁଣିବାକୁ ପାଏ ନାହିଁ ଭଲ

ବେତାର ସଂଗୀତ

ତା ସଙ୍ଗେ ସୃଷ୍ଟି କରେ ଶାନ୍ତି ନିଳୟ --

ଖଟି ଖଟି ସାଧେ ପରହିତ ।

 

ଯଉବନ ମଦିରା ନୀଳୟେ

ଲମ୍ପଟର ପ୍ରେମ ଚେତାବନୀ

ତାହାଠାରୁ ରହେ ବହୁ ଦୂରେ

ସେ ଦରିଦ୍ର ଶାନ୍ତି ଆଗମନୀ ।

 

ଦୁର୍ଭିକ୍ଷର କରାଳ ଝଞ୍ଜାରେ

ଦରିଦ୍ରର ସାଥି, ଚିରସାଥି

ବୈଜ୍ଞାନିକ ଗବେଷଣାଗାରେ

ଉଭା ହୁଏ ସେହି ମହାରଥୀ ।

 

ନୁହେଁ ସେହି ସନ୍ନ୍ୟାସୀ ଶ୍ରମଣ

ତପସ୍ୟାରେ ରହିବ ନିରତ

ଦଳ ଦଳ ଜାତି ଭାଇ ସଙ୍ଗେ

ପରହିତେ ଚେଷ୍ଟିତ ସତତ ।

 

ଜୀବନ ମରୁରେ ସେ ଯେ

ଗରିବର ଆଶା ନିର୍ଝରିଣୀ

ଯୁଗେ ଯୁଗେ ଭିକାରୁଣୀ ତାର

ହୋଇଅଛି ପରା ପୂଜାରିଣୀ ।

 

ନୁହେଁ କୃଷ୍ଣ ଅର୍ଜ୍ଜୁନ ସାରଥୀ

ଇତିହାସେ ଭାରତ ସମରେ

ସାରଥୀ ସେ ଶତାବ୍ଦୀ ଗରଭେ

ବୁଭୁକ୍ଷୁର ଜୀବନ ସମରେ ।

 

ଦେଶେ ଦେଶେ ବିଜୁଳୀ ରୋଷନୀ

ଦେଖାଇଛି ଅପୂର୍ବ ଝଲକ

ଦାନବର ଯନ୍ତ୍ର ଚିତ୍କାର

ଜଗାଇଛି ସଭ୍ୟତା ଚମକ ।

 

ରକେଟର କ୍ଷୀପ୍ରଗତି

ଗଗନର ଚୂଡାନ୍ତ ନିଷ୍ପତି

ରାଜନୀତି ଦୂଷିତ ମଣ୍ଡଳେ

ସୁଷୁମାର ସହସ୍ର ସଂପତ୍ତି ।

 

ଗରିବର ଶୟନ ମନ୍ଦିରେ

ସ୍ଵପ୍ନ ସମ ହୁଏ ପ୍ରତିଭାତ

ବିଷୁବର ଅୟନ ବୃତ୍ତରେ

ଚନ୍ଦ୍ର ସୂର୍ଯ୍ୟ ନିତି ଆତ ଯାତ ।

 

ଚିରନମ୍ର ସେ ସବୁଜ କମନୀୟ ଛବି

ସୃଷ୍ଟିର ରହସ୍ୟ ତଳେ

ଧରଣୀ ଉପରେ --

ଗରିବର ସଖା,

ଚିର ସଖା,

ଗଗନର ତାରା ଚକ୍ଷୁ ତଳେ ।

 

ଧ୍ୱଂସ ପଥ ଧାରେ

 

ମରମ ବୀଣା ତାରେ

 

 

ସପନ ପରପାରେ

କିଏ ଗୋ ଅପସରୀ

 

 

ସୀତାର ତାରେ ତାରେ

ଗାଇଲ ଯେ ରାଗିଣୀ

 

 

ମନ ମୋ ନେଲା କିଣି

ବାମନ ମାଗେ ଭିକ୍ଷା

 

 

ରାକ୍ଷସ ବଳି ଦ୍ୱାରେ ।

ଦୟା ସ୍ୱରୂପିଣୀ

 

 

ସ୍ୱଗୁଣେ ଗରବିଣୀ

ଏ ଯୁଗେ ଆସ ବାରେ

 

 

ଏଇ ମରତ ପୁରେ ।

ଦେଇଛ ଯେ ବିଭବ

 

 

ଲଭିଛି ପରାଭବ

ସାମ୍ୟ କେଣେ ଗଲା

 

 

ସମାଜ ସ୍ତରେ ସ୍ତରେ ।

ଏ ଧନ ମାନ ଯଶ

 

 

ବଂଶ ପଉରଶ

ରହିବ ସତେ କଣ

 

 

ଧ୍ୱଂସ ପଥ ଧାରେ

 

ଜୀବନ ସଂଗ୍ରାମ

 

ପଦ୍ମ ପାଖୁଡ଼ାରେ

 

 

ଭୃଙ୍ଗ କାହିଁ ରସେ

ସୂର୍ଯ୍ୟାଲୋକ ତଳେ

 

 

ଗୋଲାପ ରାଣୀ ହସେ ।

ମଲ୍ଲୀ ମାଧବୀରେ

 

 

ପ୍ରେମିକ ଗନ୍ଧ ବହ

ଦୋଳାଏ ଲହରରେ

 

 

ଜୀବନ ଅହରହ

ପ୍ରଚଣ୍ଡ ଗ୍ରୀଷମରେ

 

 

ତପ୍ତ ହୁଏ ଧରା

ଚଞ୍ଚଳI ଗଗନରେ

 

 

ଖେଳଇ କେଡ଼େ ତ୍ଵରା ।

ଉତ୍ତରୁ ହିମ ଆସେ

 

 

ଦକ୍ଷିଣେ ବସନ୍ତ

ଝୁଲଇ ସମୀରଣେ

 

 

ପୁଷ୍ପ ସହ ବୃନ୍ତ ।

ମନ୍ଦ ସମୀରଣେ

 

 

ଗନ୍ଧ ଭାସି ଆସେ

ହୃଦୟ ମନ୍ଦିରରେ

 

 

ଦୁଃଖ ଶୋକ ନାଶେ ।

ସତେକି ଏ ଜୀବନ

 

 

ଜୀର୍ଣ୍ଣ ତରୁ ସମ

ଶୁଷ୍କ ନାହିଁ କିଛି

 

 

ତଥାପି ମନୋରମ ।

ଜୀବନ ସଂଗ୍ରାମ

 

 

ସମୀପ ଧରା ପରେ

ଅସୀମ ପଥେ ଚାଲେ

 

 

ନାଁଟି ଖାଲି ମରେ ।

ଜଟିଳ ଦୁନିଆରେ

 

 

ବଞ୍ଚିବା ପାଇଁ ସତ

ସଂଗ୍ରାମ ଲାଗିଛିରେ

 

 

ଜୀବନେ ଅବିରତ ।

ସବୁଜ ଧରାପରେ

 

 

ସବୁତ ଇନ୍ଦ୍ରଧନୁ

ପାଶୋରି ଯିବ ନାହିଁ

 

 

କେଭେଁଟି କାର ମନୁ ।

ସେ ପାରି ତାଳବନେ

 

 

ଗୋପାଳ ବେଣୁ ସ୍ଵନ

ଏପାରି ପ୍ରାସାଦରେ

 

 

ମାନିନୀ ଅଭିମାନ ।

ଜୀବନ ସଂଗ୍ରାମେ

 

 

ମୂଲିଆ ଚାଷୀ ଗଣ

ନୀରବେ କରୁଥାନ୍ତି

 

 

ଲୋତକ ବରଷଣ ।

ଟିଟ୍ଟିଭ ଡାଳେ ଡାଳେ

 

 

ପ୍ରିୟାରେ ଖୋଜି ବୁଲେ

ଚାନ୍ଦିନୀ ଆଲୋକରେ

 

 

କାହାର ସୌଧ ଚୂଳେ ।

ସଂଗୀତ ବାରି ଧାରା

 

 

ଭସାଏ ନିଶି ସାରା

ପ୍ରାଣର ଉତ୍କଣ୍ଠାରେ

 

 

ଖୋଲଇ ହୃଦ କାରା ।

ସାଗର କୂଳେ କୂଳେ

 

 

ଶୁକ୍ତି ତେଜ ଝଳେ

ସୁନ୍ଦରୀ ନାରୀ ସମ

 

 

ଟାଣଇ ମନ ବଳେ ।

ଆକାଶ ପାଉଁଶିଆ

 

 

କୁହୁଡି ଆବରଣେ

ସଂଗ୍ରାମ ଗୁରୁତର

 

 

ମୋ ଜୀବନ ତୋରଣେ ।

ଜୀବନ କୁରୁକ୍ଷେତ୍ରେ

 

 

ଯୁଦ୍ଧ ବିଭିଷିକା

ପରାଣ କାନ୍ଦେ ସଦା

 

 

ଦେଖି ସେ ମରିଚିକା ।

ଜୀବନ ଯୁଦ୍ଧ ଭୂମେ

 

 

ସାରଥି ବିନା ରଥ

ଚଳିଛି ବହୁବାର

 

 

ଅପୂର୍ଣ୍ଣ ମନୋରଥ ।

ଜୀବନ ସଂଗ୍ରାମ

 

 

ଜଟିଳ ଦୁନିଆରେ

ମରଇ କିଆଁ ମୁଁହି

 

 

କରୁଣ ଚିତକାରେ ।

ଏ ଧରା କ୍ଷେପଣାସ୍ତ୍ର

 

 

ମୋତେ କି ଘେନିଯିବ

ମଙ୍ଗଳ ବୁଧ ପରେ

 

 

ପଲକେ ପହଞ୍ଚିବେ ।

ସତେକି ସୁରଙ୍ଗନା

 

 

ହସିବେ ନନ୍ଦନରେ

ରଚିବି ନୂଆ ବାସ

 

 

ତେବେ ମୁଁ ଜୀବନରେ ।

ଭୁଲିବି ଭୋକ ଶୋଷ

 

 

ଚାହିଁତ ମନ୍ଦାକିନୀ

ଅମର ପ୍ରକୃତି

 

 

ନେବ ମୋ ମନ କିଣି

ଜୀବନ ଯୁଦ୍ଧଭୂମେ

 

 

ହେବି ନି କେବେ ରଥୀ

ଜୀବନ ସଂଗ୍ରାମେ

 

 

ଲୋଡ଼ିବି ନାହିଁ ସାଥୀ ।

 

ସ୍ରଷ୍ଟାହଜେ ସୃଷ୍ଟି ଧାରେ

 

ଏଇ ଯୁଗେ ନର ଦେବତା

 

 

ରାକ୍ଷସର ଅବତାର,

ସ୍ରଷ୍ଟାର ଇଙ୍ଗିତେ ନାହିଁ

 

 

ସୃଷ୍ଟିର କାରବାର ।

ରକ୍ରବାଳେ ଉଷାରାଣୀ

 

 

ଗୋଲାପୀ ଓଠ ହସି ନାହିଁ

ଶୂନ୍ୟ ପଥେ ଶବଦ ଯାଏ

 

 

ଦୁନିଆ ହସେ କାହା ପାଇଁ ?

ବିଜ୍ଞାନର ଜୟ ଭେରୀ

 

 

ସୂର୍ଯାଲୋକେ ବାଜେ ଆଜି

ଚନ୍ଦ୍ର ପଥେ ରକେଟ ଚାଲେ

 

 

ସତେ କିହେ ଛାୟା ବାଜି ।

କଙ୍କାଳର ଆର୍ତ୍ତନାଦେ

 

 

ଏ ଦୁନିଆ ଅନ୍ଧକାର

ସ୍ରଷ୍ଟାର ଇଙ୍ଗିତେ ନାହିଁ

 

 

ସୃଷ୍ଟିର କାରବାର ।

ଜୀବନର ପଥେ ପଥେ

 

 

ସାହାରା ବକ୍ଷ ମରିଚିକା

ଶକ୍ତି ଶୂନ୍ୟ ଧରା ପରେ

 

 

ଜୀବନ ଲୋଡ଼େ ଜୀବନିକା,

ମରମର ବୀଣା ତାରେ

 

 

ସୁନ୍ଦରୀର ଚାରୁଛବି

ବୈଜ୍ଞାନିକ ଦୃଷ୍ଟି କୋଣେ

 

 

ସତେ ଅବା ଯାଏ ହଜି ।

ପୁଞ୍ଜିବାସୀ ସ୍ୱାର୍ଥମେଧ

 

 

ଯଜ୍ଞ ଦିଏ ପୂର୍ଣ୍ଣାହୁତି

ଗ୍ରହIନ୍ତର ଯାତ୍ରାପଥେ

 

 

ରଚେ ଅଭିନବ ସ୍ଫୁର୍ତ୍ତି ।

ଭଙ୍ଗା ଗଢ଼ା ଦୁନିଆରେ

 

 

ଜାତିସଂଘ ମଥା ତୋଳେ

ଗଗନର ସ୍ତରେ ସ୍ତରେ

 

 

ମୋ ରକେଟ ଆଜି ଜଳେ ।

ନେତାଗଣ ମନ୍ଦ୍ରନାଦେ

 

 

ସ୍ତବଧ ହୁଏ ଦୀନ ଧରା

ସମାଜରେ ଦୀନ କବି

 

 

ହୋଇଛିରେ ଲକ୍ଷ୍ୟ ହରା ।

ପଥେ ଘାଟେ ଶୋଭାଯାତ୍ରା

 

 

ବେକାରର ନଗ୍ନ ଛବି

ଚିନ୍ତା ଖୋଜି ପାଏ ନାହିଁ

 

 

ଫୁଟ୍‌ପାଥ ପରେ କବି ।

ରାଜନୀତି ମାୟା ଜାଲ

 

 

ଘେରା ଆଜି ଧରାପରେ

ପଞ୍ଚଶୀଳ ଆଲୋଚନା

 

 

ଏ ଦୁନିଆ ଘରେ ଘରେ ।

ଏଇ ଯୁଗେ ନର ଦେବତା

 

 

ରାକ୍ଷସର ଅବତାର

ସ୍ରଷ୍ଟା ହଜେ ସୃଷ୍ଟିଧାରେ

 

 

ଲୋଡ଼ା ନାହିଁ ତା କାରବାର ।

 

ସୃଷ୍ଟିର ଚ୍ଛନ୍ଦ

 

ରାବଣର ପୁଷ୍ପକ ବିମାନ

 

 

ସୀତା ଚୋରି ତ୍ରେତୟାର ଲୀଳା

ପୁଞ୍ଜିବାଦୀ ହିରଣ୍ୟ କଶିପୁ

 

 

ସର୍ଵହରI ପ୍ରହଲାଦ ଥିଲା ।

ଚ୍ଛନ୍ଦେ ଚ୍ଛନ୍ଦେ ଏ ସୃଷ୍ଟି ବିଳପେ

 

 

ଅଶ୍ୱସତଥାମା କାଇଁଶିକା ଶର

ବିଜ୍ଞାନର ମୋହନ ଚାତୁରୀ

 

 

ଅଗ୍ରଦୂତ ରକେଟ ସମର ।

ଅଛି ସେହି ପୁଷ୍ପକ ବିମାନ

 

 

ରାବଣର କାଳାନ୍ତକ ବାଣ

ପୁଞ୍ଜିପତି ବିଶାଳ ସଉଧ

 

 

ସର୍ଵହରା କୁଟୀର ପ୍ରାଙ୍ଗଣ ।

ଦ୍ରୌପଦୀ ବସ୍ତ୍ର ହରଣ

 

 

ସ୍ଵପ୍ନ ନୁହେଁ, ଏ ଯୁଗର ରୀତି ।

ସୃଷ୍ଟିର ଅଭିନବ ଚ୍ଛନ୍ଦେ

 

 

ଦିନ ପରେ ଦିନ ଯାଏ ବିତି ।

ସୃଷ୍ଟି ଧର୍ମ ନାମ ଚାଲେ

 

 

ଭଣ୍ଡାମୀ ଗଗନେ ପବନେ

ଚାଲ ବାଜି ରାଜନୀତି ଝଣ୍ଡା

 

 

ଦେଶେ ଦେଶେ ଘୁରଇ ସଘନେ ।

ପ୍ରଶାନ୍ତ ସାଗର ବୁକେ

 

 

ହରୋସୀମା ନାଗାସାକି ଜଳେ

ଶାନ୍ତିନାମେ ସାଗର ପାରିରେ

 

 

କ୍ଷେପଣାସ୍ତ୍ର କ୍ଷିପ୍ରତରେ ଚଳେ,

ବିଶ୍ୱଛାତି ଦଗ୍‌ଧ ହୁଏ

 

 

ଏପାରିର ଶାଳବନ ତଳେ

ସେପାରିର ବିଜ୍ଞାନୀ ମାନବ

 

 

ଯାତ୍ରାରରେ ଚନ୍ଦ୍ର ମଙ୍ଗଳେ ।

ସୃଷ୍ଟିର ଅଭିନବ ଚ୍ଛନ୍ଦ

 

 

ଅପାସୋରା ଇନ୍ଦ୍ରଧନୁ ପରି

ସ୍ରଷ୍ଟାର ବିଚିତ୍ର ଇଙ୍ଗିତେ

 

 

ଯିବ ନାହିଁ କେବେ ଅପସରି ।

ଦେଶେ ଦେଶେ ଫୁଟପାଥ ପରେ

 

 

ପଙ୍ଗପାଳ ସମ ଭିକ୍ଷୁ ଦଳ

କେଉଁ ଦେଶେ ରକେଟର ଗତି

 

 

ଫୁଟାଇଛି ଲକ୍ଷ ଶତଦଳ ।

ଏ ଯୁଗରେ ସତେ ନରସିଂହ

 

 

ବିଦାରିବ ସ୍ୱାର୍ଥ କଶିପୁ

ସୃଷ୍ଟିର ଅଭିନବ ଚ୍ଛନ୍ଦେ

 

 

ଦୂରହେବ ଦୂର୍ନୀତି ରିପୁ ।

ଅନ୍ନ ବସ୍ତ୍ର ଲାଗି ଚିନ୍ତା କରେ

 

 

ଯୁଗ ସ୍ରଷ୍ଟା ମାନବ ସନ୍ତାନ

ସୃଷ୍ଟିର ଏକି ତଵ ଚ୍ଛନ୍ଦ

 

 

ନିଷ୍ଠୁର ସତେ ଭଗବାନ ?

 

ରୂପସୀ

 

ବାତାୟନ ପଥେ             ଉନ୍ମୁକ୍ତ କେଶା

ପ୍ରାଣର ମମତା ଡୋରେ,

ବନ୍ଧନ କଲ             ଜୀବନ କାହାର

ନୟନ ଭ୍ରୃଲତା ଛଳେ ।

 

ଜୀବନେ ଜୀବନେ       ଲାଗିଲା ଦ୍ଵନ୍ଦ

ସୁନ୍ଦର ଅଭିନବ

ରଚିଲ ନନ୍ଦନ             ପୁଲକ ପ୍ରାଣେ

ଜଗାଇ ଜୀବନେ ସ୍ପନ୍ଦ ।

 

ନିର୍ଝର କୂଳେ             ଚକ୍ଷୁ ପଲକେ

ପ୍ରେମ ଶୃଙ୍ଖଳ ହାତେ,

ବନ୍ଦୀ କାହାରେ             କରିବ ରୂପସୀ

ନବୀନ ପରାଣ ସାଥେ ।

 

ସାଗର ପୁଳିନେ             ସ୍ୱପ୍ନ ପୁରୀର

ରଚିଲ ସହଜ ମIୟା,

ଦୋହଲାଇ ନୀଳ             କୁନ୍ତଳ ରାଜି

ବିତ୍ସତାର କଲ କାୟ। ।

 

ଲକ୍ଷ ଜୀବନ             ନୟନ ପଥରେ

ସଜାଇଲ ଯେଉଁ ଛବି,

ସାହାରା ବକ୍ଷେ             ନନ୍ଦନ ସୃଷ୍ଟି

ମୂର୍ଖ ପାଲଟେ କବି ।

 

ବକ୍ଷ ଚିବୁକେ             କାଉଁରୀ ପରଶ

ସ୍ଫଟିକ ସ୍ୱଚ୍ଛ ତନୁ,

ନୀରସ ଜୀବନେ             ସରସ ବସନ୍ତ

ପାଶୋର ନ ଯିବ ମନୁ ।

 

ଗ୍ରୀଷମ ପ୍ରତାପେ             ତପ୍ତ ଧରାରେ

ଶଇଳେ ରଚିଲ ବାସ,

ଜୀବନେ ଜୀବନେ       କର୍ମ ପ୍ରେରଣା

ଲୋଡ଼ା ନାହିଁ ଅବକାଶ ।

 

ପ୍ରାବୃଟ ଘନ             ଗରଜନେ କାର

ଚମକି ଯାଏରେ ଛାତି,

କିଏ ଗୋ ସୁନ୍ଦରୀ             ନୈଶ ମନ୍ଦିରେ

ଲୋଡ଼ି ଆଣ ନୂଆ ସାଥି ।

 

କାହାର ପରଶେ             ଉଲ୍ଲସି ଉଠେ

ଶୈତ୍ୟ କାତର ଛାତି

ଚୋରା ବସନ୍ତ             ମନ୍ଦ ପରଶେ

ଆଲୋକିତ ନୀଳ ରାତି

 

ଜନମେ ଜନମେ             ଜୀବନେ ଜୀବନେ

ଲଗାଇଲା ଯେଉଁ ଦ୍ଵନ୍ଦ

ସୁନ୍ଦର କଲ             ନବୀନ ଧରାରେ

ଶୁଭ ଆଗମନୀ ଚ୍ଛନ୍ଦ ।

 

ଉଷାବନ୍ଧନ

 

ଉଷା ରାଣୀର ଚମକ ଆଭା

 

 

ପରାଚୀତଟେ ହୋଇଲା ଉଭା

ଶୁକ୍ରତାରା ଲୁପ୍ତ ହେଲା

 

 

ଦିଗବଳୟେ ଲୋହିତ ପ୍ରଭା

 

 

 

ସ୍ୱପ୍ନ ପୁରୀ ରାଣୀ ଗୋ ଉଷା

 

 

କବି ମାନସ ବନ୍ଦିନୀ

ଜଗତ କ୍ଷଣେ ମୁଗଧକର

 

 

ନୀଳ ଗଗନ ନନ୍ଦିନୀ

ତୁମ ରକତ ଅଧର ସଖି

 

 

ରକ୍ତ ଘନ ବକ୍ଷ ଗୋ

ସରଗ ମଞ୍ଚେ ଖୋଜିଲି କେତେ

 

 

ଅପୂର୍ଣ୍ଣ ମୋ ଲକ୍ଷ୍ୟ ଗୋ

 

 

 

ଜୀବନେ ତବ ଆଲୋକ ରେଖା

 

 

ଅନ୍ଧାର ନାହିଁ ନାହିଁରେ

ଅନ୍ଧାର ମମ ଜୀବନ ସାରା

 

 

ଆଲୋକ ଦିଅ ସହୀରେ

 

 

 

ଆଲୋକ ରଜା ନନ୍ଦିନୀ ତୁମେ

 

 

ଛପିବ କେଉଁ ପୁରରେ

ବନ୍ଦୀ କରି ମାନସ ମମ

 

 

ରହିବ କେଉଁ ଦୂରରେ

 

 

 

ଫେରିବ କେବେ କହିଲ ନାହିଁ

 

 

ବକ୍ଷେ ଜାଳ ବିରହ

ରକେଟ ଯୁଗେ ନାହିଁଟି କିଛି

 

 

ଭୂମଣ୍ଡଳେ ଦୂରୁହ

ବାୟୁମଣ୍ଡଳେ ବୁଲିବି ଘୁରି

 

 

ଆଣିବି ଧରି ଉଷାରେ

ସଜାଇବି ତା ଚାରୁ କୁନ୍ତଳ

 

 

ଆଧୁନିକ ଭୂଷାରେ ।